ଦିତୀୟ ବଂଶାବଳୀ 31 : 1 (ORV)
ଏହିସବୁ ସମାପ୍ତ ହେଲା ଉତ୍ତାରେ ଉପସ୍ଥିତ ସମଗ୍ର ଇସ୍ରାଏଲ ଯିହୁଦାର ନଗରମାନଙ୍କୁ ଯାଇ ସ୍ତମ୍ଭସବୁ ଭାଙ୍ଗି ପକାଇଲେ ଓ ଆଶେରାମୂର୍ତ୍ତିମାନ କାଟି ପକାଇଲେ, ପୁଣି ନିଃଶେଷରେ ବିନାଶ ନ କରିବା ପର୍ଯ୍ୟନ୍ତ ସମସ୍ତ ଯିହୁଦା ଓ ବିନ୍ୟାମୀନ ମଧ୍ୟରୁ, ଆହୁରି ଇଫ୍ରୟିମ୍ ଓ ମନଃଶିରେ ସ୍ଥିତ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ । ତହୁଁ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ଓ ନଗରକୁ ଫେରିଗଲେ ।
ଦିତୀୟ ବଂଶାବଳୀ 31 : 2 (ORV)
ଆଉ, ହିଜକୀୟ ଯାଜକମାନଙ୍କର ଓ ଲେବୀୟମାନଙ୍କର ପାଳିକ୍ରମେ ପାଳି ନିରୂପଣ କଲେ, ହୋମାର୍ଥକ ଓ ମଙ୍ଗଳାର୍ଥକ ବଳିଦାନ, ପରିଚର୍ଯ୍ୟା ଓ ସଦାପ୍ରଭୁଙ୍କ ଛାଉଣିର ଦ୍ଵାରସମୂହରେ ଧନ୍ୟବାଦ ଓ ପ୍ରଶଂସା କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପ୍ରତି ଜଣକୁ ତାହାର ସେବାନୁସାରେ ନିଯୁକ୍ତ କଲେ ।
ଦିତୀୟ ବଂଶାବଳୀ 31 : 3 (ORV)
ମଧ୍ୟ ସେ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ନିମନ୍ତେ, ଅର୍ଥାତ୍, ପ୍ରଭାତୀୟ ଓ ସାୟଂକାଳୀୟ ହୋମବଳି ନିମନ୍ତେ, ପୁଣି ବିଶ୍ରାମବାର ଓ ଅମାବାସ୍ୟା ଓ ନିରୂପିତ ପର୍ବାଦିର ହୋମବଳି ନିମନ୍ତେ ରାଜସମ୍ପତ୍ତିରୁ ଦେୟ ଅଂଶ ନିରୂପଣ କଲେ ।
ଦିତୀୟ ବଂଶାବଳୀ 31 : 4 (ORV)
ଆହୁରି, ଯେପରି ଯାଜକଗଣ ଓ ଲେବୀୟଗଣ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆସକ୍ତ ରହିବେ, ଏଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅଂଶ ଦେବା ନିମନ୍ତେ ଯିରୂଶାଲମ ନିବାସୀ ଲୋକମାନଙ୍କୁ ଆଜ୍ଞା କଲେ ।
ଦିତୀୟ ବଂଶାବଳୀ 31 : 5 (ORV)
ପୁଣି, ଏହି ଆଜ୍ଞା ଘୋଷିତ ହେବାକ୍ଷଣେ ଇସ୍ରାଏଲ-ସନ୍ତାନଗଣ ପ୍ରଚୁର ରୂପେ ପ୍ରଥମଜାତ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଓ ମଧୁ ଓ କ୍ଷେତ୍ରୋତ୍ପନ୍ନ ସକଳ ଦ୍ରବ୍ୟ ଆଣିଲେ; ଆଉ ସେମାନେ ପ୍ରଚୁର ରୂପେ ସକଳ ଦ୍ରବ୍ୟର ଦଶମାଂଶ ଆଣିଲେ ।
ଦିତୀୟ ବଂଶାବଳୀ 31 : 6 (ORV)
ପୁଣି, ଯିହୁଦାର ନଗରସମୂହରେ ବାସକାରୀ ଇସ୍ରାଏଲ ଓ ଯିହୁଦାର ସନ୍ତାନମାନେ ମଧ୍ୟ ଗୋମେଷର ଦଶମାଂଶ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ପବିତ୍ର ଦ୍ରବ୍ୟାଦିର ଦଶମାଂଶ ଆଣି ରାଶି ରାଶି କରି ଥୋଇଲେ ।
ଦିତୀୟ ବଂଶାବଳୀ 31 : 7 (ORV)
ତୃତୀୟ ମାସରେ ସେମାନେ ସେହି ରାଶି କରିବାକୁ ଆରମ୍ଭ କରି ସପ୍ତମ ମାସରେ ତାହା ସମାପ୍ତ କଲେ ।
ଦିତୀୟ ବଂଶାବଳୀ 31 : 8 (ORV)
ଏଉତ୍ତାରେ ହିଜକୀୟ ଓ ଅଧିପତିମାନେ ସେହି ରାଶି ଦେଖିବାକୁ ଆସି ସଦାପ୍ରଭୁଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ଧନ୍ୟବାଦ କଲେ ।
ଦିତୀୟ ବଂଶାବଳୀ 31 : 9 (ORV)
ସେତେବେଳେ ହିଜକୀୟ ସେହି ସକଳ ରାଶି ବିଷୟରେ ଯାଜକ ଓ ଲେବୀୟମାନଙ୍କୁ ପଚାରନ୍ତେ,
ଦିତୀୟ ବଂଶାବଳୀ 31 : 10 (ORV)
ସାଦୋକ ବଂଶୀୟ ପ୍ରଧାନ ଯାଜକ ଅସରୀୟ ତାଙ୍କୁ ଉତ୍ତର କରି କହିଲା, ଲୋକମାନେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣିବା ପାଇଁ ଆରମ୍ଭ କରିବା ସମୟଠାରୁ ଆମ୍ଭେମାନେ ଭୋଜନ କରିଅଛୁ ଓ ତୃପ୍ତ ହୋଇଅଛୁ ଓ ପ୍ରଚୁର ଅବଶିଷ୍ଟ ରଖିଅଛୁ; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିଅଛନ୍ତି; ତେଣୁ ଯାହା ଅବଶିଷ୍ଟ ରହିଅଛି, ତାହା ଏହି ବୃହତ ଦ୍ରବ୍ୟରାଶି ।
ଦିତୀୟ ବଂଶାବଳୀ 31 : 11 (ORV)
ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ କେତେକ କୋଠରି ପ୍ରସ୍ତୁତ କରିବାକୁ ଆଜ୍ଞା କଲେ; ତହୁଁ ସେମାନେ ତାହା ପ୍ରସ୍ତୁତ କଲେ ।
ଦିତୀୟ ବଂଶାବଳୀ 31 : 12 (ORV)
ଏଉତ୍ତାରେ ଲୋକମାନେ ବିଶ୍ଵସ୍ତ ରୂପେ ଉପହାର ଓ ଦଶମାଂଶ ଓ ପବିତ୍ରୀକୃତ ଦ୍ରବ୍ୟ ଆଣିଲେ; ଆଉ ତହିଁ ଉପରେ ଲେବୀୟ କନାନୀୟ ଅଧ୍ୟକ୍ଷ ଥିଲା ଓ ତାହାର ଭାଇ ଶିମୀୟି ଦ୍ଵିତୀୟ ଥିଲା ।
ଦିତୀୟ ବଂଶାବଳୀ 31 : 13 (ORV)
ପୁଣି, ଯିହୀୟେଲ ଓ ଅସସୀୟ ଓ ନହତ୍ ଓ ଅସାହେଲ୍ ଓ ଯିରେମୋତ୍ ଓ ଯୋଷାବଦ୍ ଓ ଇଲୀୟେଲ ଓ ଯିଷ୍ମଖୀୟ ଓ ମାହତ୍ ଓ ବନାୟ, ଏମାନେ ହିଜକୀୟ ରାଜାଙ୍କର ଓ ପରମେଶ୍ଵରଙ୍କ ଗୃହାଧ୍ୟକ୍ଷ ଅସରୀୟର ନିଯୁକ୍ତି ଦ୍ଵାରା କନାନୀୟ ଓ ତାହାର ଭ୍ରାତା ଶିମୀୟିର ହସ୍ତାଧୀନରେ କାର୍ଯ୍ୟଶାସକ ଥିଲେ ।
ଦିତୀୟ ବଂଶାବଳୀ 31 : 14 (ORV)
ଆଉ, ଲେବୀୟ ଯିସ୍ନାର ପୁତ୍ର କୋରି, ଯେ ପୂର୍ବ ଦିଗ ଦ୍ଵାରପାଳ ଥିଲା, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଓ ମହାପବିତ୍ର ବସ୍ତୁ ବିତରଣ କରିବା ପାଇଁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ସ୍ଵେଚ୍ଛାଦତ୍ତ ଉପହାର ଉପରେ ନିଯୁକ୍ତ ହେଲା ।
ଦିତୀୟ ବଂଶାବଳୀ 31 : 15 (ORV)
ପୁଣି, ତାହାର ଅଧୀନରେ ଏଦନ୍ ଓ ମିନ୍ୟାମୀନ ଓ ଯେଶୂୟ ଓ ଶମୟୀୟ ଓ ଅମରୀୟ ଓ ଶଖନୀୟ, ଏମାନେ ଯାଜକମାନଙ୍କ ନାନା ନଗରରେ ଆପଣାମାନଙ୍କର ସାନ ବଡ଼ ଭାଇମାନଙ୍କୁ ପାଳି ଅନୁସାରେ ଦେବା ପାଇଁ ଆପଣା ଆପଣା ନିରୂପିତ ପଦରେ ରହିଲେ;
ଦିତୀୟ ବଂଶାବଳୀ 31 : 16 (ORV)
ସେମାନଙ୍କ ଛଡ଼ା ଯେଉଁମାନେ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପାଳିକ୍ରମେ ଆପଣା ଆପଣା ରକ୍ଷଣୀୟ ସେବା ନିମନ୍ତେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କଲେ, ଏପରି ତିନି ବର୍ଷ ଓ ତତୋଧିକ ବୟସ୍କ ପୁରୁଷ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ;
ଦିତୀୟ ବଂଶାବଳୀ 31 : 17 (ORV)
ଆଉ, ଆପଣା ଆପଣା ପିତୃବଂଶାନୁସାରେ ଯାଜକମାନେ, ପୁଣି କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନେ ବଂଶାବଳୀ କ୍ରମେ ସେମାନଙ୍କ ରକ୍ଷଣୀୟ ଓ ପାଳି ଅନୁସାରେ ଗଣିତ ହୋଇଥିଲେ;
ଦିତୀୟ ବଂଶାବଳୀ 31 : 18 (ORV)
ପୁଣି ସମଗ୍ର ସମାଜ ମଧ୍ୟରେ ଲୋକମାନଙ୍କର ଶିଶୁ, ଭାର୍ଯ୍ୟା ଓ ପୁତ୍ର କନ୍ୟାମାନେ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ; କାରଣ ସେମାନେ ଆପଣା ଆପଣା ନିରୂପିତ କାର୍ଯ୍ୟରେ ପବିତ୍ରତାରେ ଆପଣାମାନଙ୍କୁ ପବିତ୍ର କଲେ;
ଦିତୀୟ ବଂଶାବଳୀ 31 : 19 (ORV)
ମଧ୍ୟ ହାରୋଣଙ୍କର ଯେଉଁ ସନ୍ତାନ-ଯାଜକମାନେ ଆପଣା ଆପଣା ନଗରସ୍ଥ ତଳିଭୂମିର କ୍ଷେତ୍ରରେ ବାସ କଲେ, ସେମାନଙ୍କ ପ୍ରତ୍ୟେକ ନଗରରେ ଯାଜକମାନଙ୍କ ମଧ୍ୟରେ ସମସ୍ତ ପୁରୁଷଙ୍କୁ ଓ ଲେବୀୟମାନଙ୍କ ମଧ୍ୟରେ ବଂଶାବଳୀ କ୍ରମେ ଗଣିତ ସମସ୍ତଙ୍କୁ ଅଂଶ ଦେବା ପାଇଁ ଲୋକେ ନାମରେ ନିର୍ଣ୍ଣୀତ ହେଲେ ।
ଦିତୀୟ ବଂଶାବଳୀ 31 : 20 (ORV)
ହିଜକୀୟ ଯିହୁଦାର ସର୍ବତ୍ର ଏପ୍ରକାର କଲେ; ପୁଣି ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ଓ ବିଶ୍ଵସ୍ତତାର କର୍ମ କଲେ ।
ଦିତୀୟ ବଂଶାବଳୀ 31 : 21 (ORV)
ଆଉ, ସେ ଆପଣା ପରମେଶ୍ଵରଙ୍କର ଅନ୍ଵେଷଣ କରିବା ନିମନ୍ତେ ପରମେଶ୍ଵରଙ୍କ ଗୃହର ସେବାକାର୍ଯ୍ୟ, ପୁଣି ବ୍ୟବସ୍ଥା ଓ ଆଜ୍ଞା ସମ୍ଵନ୍ଧରେ ଯେ ଯେ କାର୍ଯ୍ୟ ଆରମ୍ଭ କଲେ, ତାହାସବୁ ଆପଣା ସର୍ବାନ୍ତଃକରଣ ସହିତ କରି କୃତକାର୍ଯ୍ୟ ହେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21

BG:

Opacity:

Color:


Size:


Font: